ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କେବଳ 'ଅପରେସନ ସିନ୍ଦୂର' ଦ୍ୱାରା ପ୍ରତିଶୋଧ ନେଇନାହିଁ, ବରଂ ଆତଙ୍କବାଦକୁ ସମର୍ଥନ କରୁଥିବା ପଡ଼ୋଶୀ ପାକିସ୍ତାନକୁ ମଧ୍ୟ କଠୋର ଶିକ୍ଷା ଦେଇଛି। ଭାରତ କେବଳ ସାମରିକ ମୋର୍ଚ୍ଚାରେ ଉପଯୁକ୍ତ ଜବାବ ଦେଇନାହିଁ, ବରଂ ପାକିସ୍ତାନର ଅର୍ଥନୀତିକୁ ମଧ୍ୟ ଆଘାତ ଦେଇଛି।
ଏବେ ପୁଣି ଥରେ ଭାରତ, ପାକିସ୍ତାନୀ ବିମାନ ଉପରେ ଏହାର ଆକାଶ ସୀମାରେ ପ୍ରତିବନ୍ଧକକୁ ଅକ୍ଟୋବର ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଏକ ମାସ ପାଇଁ ବୃଦ୍ଧି କରି କଡା ଜବାବ ଦେଇଛି। ସୋମବାର ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ନୋଟାମରେ (NOTAM) ଏହି ନିଷ୍ପତ୍ତି ନିଆଯାଇଛି। ଭାରତର ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ମଧ୍ୟ ସମାନ ସମୟ ପାଇଁ ଭାରତୀୟ ବିମାନ କମ୍ପାନୀ ପାଇଁ ତାର ଆକାଶ ସୀମା ବନ୍ଦ କରିବାର ନୋଟିସ ଜାରି କରିଥିଲା।
ଏହିପରି ପ୍ରାୟ ଛଅ ମାସ ପରେ ଦୁଇ ଦେଶ ପରସ୍ପରର ଆକାଶ ସୀମା ବନ୍ଦ କରିଦେଇଛନ୍ତି। ଏହା ଉଲ୍ଲେଖନୀୟ ଯେ, ଏପ୍ରିଲ ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ପରେ ପାକିସ୍ତାନ ତା'ର ଆକାଶ ମାର୍ଗରୁ ଭାରତୀୟ ବିମାନକୁ ନିଷେଧ କରିଥିଲା, ଯାହାର ପ୍ରତିଶୋଧ ପାଇଁ ଭାରତ ପାକିସ୍ତାନୀ ବିମାନ ସେବାକୁ ନିଷେଧ କରିଥିଲା। ସେବେଠାରୁ ଉଭୟ ଦେଶ NOTAM ଜାରି କରି ଏହି ନିଷେଧକୁ ବିସ୍ତାର କରିଆସୁଛନ୍ତି। ତେବେ ଏହି ନିଷେଧ କେବଳ ଭାରତୀୟ ଏବଂ ପାକିସ୍ତାନୀ ବିମାନ ସେବା ପାଇଁ ପ୍ରଯୁଜ୍ୟ।