ଯଦି ଆପଣ ଜଣେ ବୁଲେଟ୍ ପ୍ରେମୀ ତେବେ ଆପଣଙ୍କ ପାଇଁ ଖୁସି ଖବର। ରୟାଲ୍ ଏନଫିଲ୍ଡ ବୁଲେଟ୍ 350 ସମେତ ଅନେକ ମଡେଲ୍ କିଣିବାକୁ ଚାହୁଁଥିଲେ ଆପଣଙ୍କୁ ସୋ'ରୁମ୍ ଯିବାକୁ ପଡ଼ିବ ନାହିଁ। କେବଳ ଗୋଟିଏ କ୍ଲିକରେ କିଛି ଦିନ ଭିତରେ ହିଁ ଆପଣଙ୍କ ଘର ଆଗରେ ପହଞ୍ଚିବ ବାଇକ। ସେ ପୁଣି ଡିସକାଉଣ୍ଟରେ।
ରୟାଲ୍ ଏନଫିଲ୍ଡ ଫ୍ଲିପ୍କାର୍ଟ ସହିତ ଏକ ଚୁକ୍ତି କରିଛି। ଫ୍ଲିପ୍କାର୍ଟ ବିଗ୍ ବିଲିୟନ ଡେ ସେଲ୍ ପୂର୍ବରୁ ଏହି ଚୁକ୍ତି ହୋଇଛି। ଗ୍ରାହକମାନେ ସେଲ୍ ସମୟରେ ଏହାର ଲାଭ ପାଇବେ। ପ୍ରଥମ ଥର ପାଇଁ ରୟାଲ୍ ଏନଫିଲ୍ଡ ଅନଲାଇନରେ ଏହାର ମୋଟରସାଇକେଲ୍ ବିକ୍ରି କରିବ।
ଚୁକ୍ତି ଅନୁଯାୟୀ, ରୟାଲ୍ ଏନଫିଲ୍ଡ ସେପ୍ଟେମ୍ବର ୨୨ ତାରିଖରୁ Flipkart ରେ ଏହାର 350-ସିସି ମଡେଲ୍ ରେଞ୍ଜକୁ ଉପଲବ୍ଧ କରାଇବ। ସବୁଠାରୁ ଖାସ୍ କଥା ହେଉଛି ରୟାଲ୍ ଏନଫିଲ୍ଡର ଏହି ବାଇକ୍ କିଣିଲେ ଆପଣଙ୍କୁ ଦୁଇଗୁଣା ଲାଭ ମିଳିବ। କାହିଁକି ନା ୨୨ ସେପ୍ଟେମ୍ବରରୁ ହିଁ GST ହ୍ରାସ କାର୍ଯ୍ୟକାରୀ ହେବ। ଅର୍ଥାତ ଗ୍ରାହକମାନେ କେବଳ ବିଗ୍ ବିଲିୟନ ଡେ ସେଲ୍ ର ଲାଭ ପାଇବେ ନାହିଁ ବରଂ GST ହ୍ରାସ ଯୋଗୁଁ ଦୁଇଗୁଣା ଲାଭ ପାଇବେ।
Flipkart ସହ ହୋଇଥିବା ଚୁକ୍ତି ଦ୍ବାରା ରୟାଲ ଏନଫିଲ୍ଡ ମୋଟରସାଇକେଲଗୁଡ଼ିକର ବିକ୍ରି ଅଧିକ ହେବ। ଖାସ୍ କରି ଭାରତୀୟ ଗ୍ରାହକମାନେ ଡିଜିଟାଲ୍ ପ୍ଲାଟଫର୍ମ ପ୍ରତି ଅଧିକ ଆକର୍ଷିତ ହେଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି। ବିଗ୍ ବିଲିୟନ ଡେ ସେଲ୍ ସମୟରେ ଗ୍ରାହକମାନେ ଫ୍ଲିପକାର୍ଟରେ ରୟାଲ ଏନଫିଲ୍ଡ ମୋଟରସାଇକେଲ କିଣିପାରିବେ।
କମ୍ପାନୀ ଫ୍ଲିପକାର୍ଟ ମାଧ୍ୟମରେ ବୁଲେଟ୍ 350, କ୍ଲାସିକ୍ 350, ହଣ୍ଟର 350, ଗୋଆନ୍ କ୍ଲାସିକ୍ 350 ଏବଂ ନୂଆ ମେଟିୟର୍ 350 ଭଳି ମଡେଲ୍ ବିକ୍ରି କରିବ। ଗୁରୁଗ୍ରାମ, ଏନସିଆର, ବେଙ୍ଗାଲୁରୁ, କୋଲକାତା, ଲକ୍ଷ୍ନୌ ଏବଂ ମୁମ୍ବାଇର ଗ୍ରାହକମାନେ ଫ୍ଲେକ୍ସିବଲ୍ ପେମେଣ୍ଟ ଅପ୍ସନ ଏବଂ GST ଛାଡ଼ ସହିତ ଅନଲାଇନରେ ବାଇକ ଅର୍ଡର ଏବଂ କିଣିପାରିବେ।
ରୟାଲ ଏନଫିଲ୍ଡର ସିଇଓ ବି. ଗୋବିନ୍ଦରାଜନ କହିଛନ୍ତି ଯେ, ଫ୍ଲିପକାର୍ଟ ସହିତ ପାର୍ଟନରସିପ୍ କରିବା ଦ୍ବାରା ଡିଜିଟାଲ ଗ୍ରାହକଙ୍କ ପାଖରେ ପହଞ୍ଚିବା ସହଜ ହେବ। ଏବେ ଲୋକମାନେ ଅନଲାଇନରେ ସେମାନଙ୍କର ପ୍ରିୟ ବାଇକକୁ ସର୍ଚ୍ଚ ଏବଂ ବୁକ୍ କରିପାରିବେ। ବର୍ତ୍ତମାନ ଏହି ଅଫର କେବଳ ପାଞ୍ଚଟି ସହରରେ ଉପଲବ୍ଧ। କିନ୍ତୁ ଖୁବଶୀଘ୍ର କମ୍ପାନୀ ଏହାକୁ ଅଧିକ ସ୍ଥାନରେ ବିସ୍ତାର କରିବାକୁ ଯୋଜନା କରୁଛି।
ଅନ୍ୟପଟେ ଟିଭିଏସ୍ ଆପାଚି, ହିରୋ ଏକ୍ସଟ୍ରିମ୍, ହିରୋ ସ୍ପେଣ୍ଡର ପ୍ଲସ୍, କେଟିଏମ୍ ୨୦୦ ଡ୍ୟୁକ୍, ବାଜାଜ୍ ପଲ୍ସର୍ ଏବଂ ସୁଜୁକି ଜିକ୍ସର ଭଳି ବାଇକ୍ ବର୍ତ୍ତମାନ ଫ୍ଲିପକାର୍ଟରେ ଉପଲବ୍ଧ।